Indian Revised Version — Odia (2021)
ମାର୍କ 16
1ବିଶ୍ରାମବାର ବିତିଗଲା ଉତ୍ତାରେ ମଗ୍ଦଲୀନୀ ମରୀୟମ, ଯାକୁବଙ୍କ ମାତା ମରୀୟମ ଓ ଶଲୋମୀ ସୁଗନ୍ଧିଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି। 2ପୁଣି, ସପ୍ତାହର ପ୍ରଥମ ଦିବସର ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଗଲେ, ସେତେବେଳେ ସୂର୍ଯ୍ୟ ଉଠିଲା। 3ସେମାନେ ପରସ୍ପରକୁ କହୁଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧି-ଦ୍ୱାରରୁ ପଥରଟା ଗଡ଼ାଇଦେବ? କାରଣ ତାହା ଅତି ବୃହତ ଥିଲା। 4ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ, ପଥର ଗଡ଼ାଇ ଦିଆଯାଇଅଛି। 5ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଳ ବସ୍ତ୍ର ପରିହିତ ଜଣେ ଯୁବାଙ୍କୁ ଦକ୍ଷିଣ ପାର୍ଶ୍ୱରେ ବସିଥିବା ଦେଖି ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହେଲେ। 6ସେଥିରେ ସେ ସେମାନଙ୍କୁ କହିଲେ, ଭୟ କର ନାହିଁ; ତୁମ୍ଭେମାନେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କର ଅନ୍ୱେଷଣ କରୁଅଛ; ସେ ଉଠିଅଛନ୍ତି, ସେ ଏଠାରେ ନାହାନ୍ତି; ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ। 7କିନ୍ତୁ ତୁମ୍ଭେମାନେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ କୁହ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି; ଯୀଶୁ ତୁମ୍ଭମାନଙ୍କୁ ଯେପରି କହିଥିଲେ, ସେପରି ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ। 8ସେଥିରେ ସେମାନେ ବାହାରି ସମାଧି ନିକଟରୁ ପଳାଇଗଲେ, କାରଣ ସେମାନେ ଭୟରେ କମ୍ପୁଥିଲେ ଓ ଆଶ୍ଚର୍ଯ୍ୟ ହୋଇଥିଲେ, ପୁଣି, କାହାକୁ କିଛି କହିଲେ ନାହିଁ, ଯେଣୁ ସେମାନେ ଭୀତ ହୋଇଥିଲେ। 9ସପ୍ତାହର ପ୍ରଥମ ଦିବସ ପ୍ରତ୍ୟୁଷରେ ଯୀଶୁ ପୁନରୁତ୍ଥାନ କରି, ଯାହାଙ୍କଠାରୁ ସାତ ଭୂତ ଛଡ଼ାଇଥିଲେ, ସେହି ମଗ୍ଦଲୀନୀ ମରୀୟମଙ୍କୁ ପ୍ରଥମରେ ଦର୍ଶନ ଦେଲେ। 10ସେ ଯାଇ, ଯେଉଁମାନେ ତାହାଙ୍କ ସଙ୍ଗୀ ହୋଇଥିଲେ, ସେମାନଙ୍କୁ ସମ୍ବାଦ ଦେଲେ; ସେମାନେ ଶୋକ ଓ ରୋଦନ କରୁଥିଲେ। 11ଯୀଶୁ ଯେ ଜୀବିତ ଅଟନ୍ତି ଓ ତାହାଙ୍କୁ ଦର୍ଶନ ଦେଇଅଛନ୍ତି, ଏହା ଶୁଣି ସେମାନେ ବିଶ୍ୱାସ କଲେ ନାହିଁ। 12ଏହି ସମସ୍ତ ଘଟଣା ଉତ୍ତାରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୋଟିଏ ପଲ୍ଲୀଗ୍ରାମକୁ ଯାଉଥିବା ସମୟରେ ସେ ଅନ୍ୟ ରୂପରେ ସେମାନଙ୍କୁ ଦର୍ଶନ ଦେଲେ, 13ପୁଣି, ସେମାନେ ଯାଇ ଅନ୍ୟମାନଙ୍କୁ ସମ୍ବାଦ ଦେଲେ; କିନ୍ତୁ ସେମାନଙ୍କ କଥା ସୁଦ୍ଧା ସେମାନେ ବିଶ୍ୱାସ କଲେ ନାହିଁ। 14ଏଥିଉତ୍ତାରେ ଏଗାର ଜଣ ଶିଷ୍ୟମାନେ ଭୋଜନରେ ବସିଥିବା ସମୟରେ ସେ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କର ଅବିଶ୍ୱାସ ଓ ହୃଦୟର କଠିନତା ହେତୁ ସେମାନଙ୍କୁ ଅନୁଯୋଗ କଲେ, କାରଣ ଯେଉଁମାନେ ତାହାଙ୍କୁ ପୁନରୁତ୍ଥିତ ଦେଖିଲେ, ସେମାନଙ୍କ କଥା ସେମାନେ ବିଶ୍ୱାସ କରି ନ ଥିଲେ। 15ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର। 16ଯେ ବିଶ୍ୱାସ କରେ ଏବଂ ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ସେ ବିଶ୍ୱାସ କରେ ନାହିଁ, ସେ ଦଣ୍ଡାଜ୍ଞା ପାଇବ। 17ଆଉ ଏହିସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ, 18ପୁଣି, ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ।” 19ଏହି ରୂପେ ପ୍ରଭୁ ଯୀଶୁ ସେମାନଙ୍କୁ କଥା କହିବା ପରେ ସ୍ୱର୍ଗରେ ଗୃହୀତ ହୋଇ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ। 20କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ।
This chapter is not in this version.
Keep going
In the life of Jesus 6 events in this chapter
- v1–8 239. Jesus rises from the dead Also in Mt 28:1-7 · Lk 24:1-12 · Jn 20:1-9
- v9–11 240. Jesus appears to Mary Magdalene Also in Jn 20:10-18
- v12, 13 243. Jesus appears to two believers traveling on the road Also in Lk 24:13-35
- v14 245. Jesus appears to the disciples including Thomas Also in Jn 20:24-31
- v15–18 248. Jesus gives the Great Commission Also in Mt 28:16-20
- v19, 20 250. Jesus ascends into heaven Also in Lk 24:50-53
Indian Revised Version — Odia (2021). Indian Revised Version (Odia), Bridge Connectivity Solutions, CC BY-SA 4.0, via eBible.org. Inline cross-reference notes removed..