Skip to content

Indian Revised Version — Odia (2021)

ପରମ ଗୀତ 2

1ମୁଁ ଶାରୋଣର ଗୋଲାପ ଏବଂ ଉପତ୍ୟକାର କଇଁଫୁଲ ଅଟେ। 2ଯେପରି କଣ୍ଟକ ମଧ୍ୟରେ କଇଁଫୁଲ, ସେହିପରି ଯୁବତୀଗଣ ମଧ୍ୟରେ ମୋହର ପ୍ରିୟା। 3ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ, ସେପରି ଯୁବାମାନଙ୍କ ମଧ୍ୟରେ ମୋହର ପ୍ରିୟତମ। ମୁଁ ପରମ ଆନନ୍ଦରେ ତାଙ୍କ ଛାୟା ତଳେ ବସିଲି ଓ ତାଙ୍କ ଫଳ ମୋʼ ତୁଣ୍ଡକୁ ସ୍ୱାଦ ଲାଗିଲା। 4ସେ ଆପଣା ଭୋଜନପାନର ଗୃହକୁ ମୋତେ ଆଣିଲେ, ମୋʼ ଉପରେ ପ୍ରେମ ହିଁ ତାଙ୍କର ପତାକା ହେଲା। 5ତୁମ୍ଭେମାନେ ଦ୍ରାକ୍ଷାଫଳ ଦେଇ ମୋତେ ସୁସ୍ଥିର କର, ନାଗରଙ୍ଗ ଫଳରେ ମୋତେ ଆଶ୍ୱାସ ଦିଅ; କାରଣ ମୁଁ ପ୍ରେମପୀଡ଼ିତା। 6ତାଙ୍କ ବାମ ହସ୍ତ ମୋʼ ମସ୍ତକ ତଳେ ଅଛି, ପୁଣି ତାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରେ। 7ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜନା କର ନାହିଁ। 8ଏହି ତ ମୋʼ ପ୍ରିୟତମଙ୍କ ରବ! ଦେଖ, ସେ ପର୍ବତଗଣ ଉପରେ କୁଦି କୁଦି, ଉପପର୍ବତଗଣ ଉପରେ ଡେଇଁ ଡେଇଁ ଆସୁଅଛନ୍ତି। 9ମୋହର ପ୍ରିୟତମ ହରିଣ ଓ ତରୁଣ ମୃଗ ତୁଲ୍ୟ; ଦେଖ, ସେ ଆମ୍ଭମାନଙ୍କ ପ୍ରାଚୀର ପଛେ ଠିଆ ହେଉଅଛନ୍ତି, ସେ ଝରକାରେ ଅନାଉଅଛନ୍ତି, ସେ ଜାଲି ପରଦା ବାଟେ ଆପଣାକୁ ଦେଖାଉ ଅଛନ୍ତି। 10ମୋହର ପ୍ରିୟତମ କଥା କହିଲେ ଓ ସେ ମୋତେ କହିଲେ, “ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ। 11କାରଣ, ଦେଖ, ଶୀତକାଳ ଗତ ହେଲା, ବୃଷ୍ଟି ଶେଷ ହୋଇଗଲା; 12ଭୂମିରେ ପୁଷ୍ପ ପ୍ରସ୍ପୁଟିତ ହେଉଅଛି, ପକ୍ଷୀଗଣର ଗାୟନକାଳ ଉପସ୍ଥିତ, ଆମ୍ଭମାନଙ୍କ ଦେଶରେ କପୋତର ରବ ଶୁଣା ଯାଉଅଛି; 13ଡିମ୍ବିରିବୃକ୍ଷ ସ୍ୱ ଅପକ୍ୱ ଫଳମାନ ପକ୍ୱ କରୁଅଛି ଓ ଦ୍ରାକ୍ଷାଲତା ପୁଷ୍ପିତ ହୋଇ ସୁବାସ ଦେଉଅଛି। ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ। 14ହେ ମୋହର କପୋତୀ, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ, ମୋତେ ତୁମ୍ଭ ରୂପ ଦେଖିବାକୁ ଦିଅ, ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ; କାରଣ ତୁମ୍ଭ ରବ ସୁମିଷ୍ଟ ଓ ତୁମ୍ଭ ରୂପ ମନୋହର। 15ଆମ୍ଭମାନଙ୍କ ପାଇଁ ଦ୍ରାକ୍ଷାକ୍ଷେତ୍ରନାଶକ ଶୃଗାଳମାନଙ୍କୁ, କ୍ଷୁଦ୍ର ଶୃଗାଳମାନଙ୍କୁ ଧର; କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ପୁଷ୍ପିତ ହୋଇଅଛି।” 16ମୋʼ ପ୍ରିୟତମ ମୋହର ଓ ମୁଁ ତାଙ୍କର ଅଟେ; ସେ କଇଁଫୁଲବନ ମଧ୍ୟରେ ଆପଣା ପଲ ଚରାଉଅଛନ୍ତି। 17ହେ ମୋହର ପ୍ରିୟତମ, ଦିବସ ଶୀତଳ ହେବା ଓ ଛାୟା ବହିଯିବା ପର୍ଯ୍ୟନ୍ତ ତୁମ୍ଭେ ଫେରିଆସି ବେଥର ପର୍ବତଶ୍ରେଣୀସ୍ଥ ହରିଣ ଓ ମୃଗଶାବକ ତୁଲ୍ୟ ହୁଅ।

Keep going

Indian Revised Version — Odia (2021). Indian Revised Version (Odia), Bridge Connectivity Solutions, CC BY-SA 4.0, via eBible.org. Inline cross-reference notes removed..

Books

✦ Explain this verse with AI AI explanations, Bible Q&A, characters, maps and more — in the Truth of Bible app →

Reading settings

Theme
Text size
100%
Layout

Loading the Bibles…

Your choice is remembered on this device and used for reading, search and the verse screen.