Indian Revised Version — Odia (2021)
ରୂତ 3
1ଏଥିଉତ୍ତାରେ ତାହାର ଶାଶୁ ନୟମୀ ତାହାକୁ କହିଲା, “ଆହେ ମୋହର କନ୍ୟା, ଯେଉଁଥିରେ ତୁମ୍ଭର ମଙ୍ଗଳ ହେବ, ଏପରି ଆଶ୍ରୟ ସ୍ଥାନ ମୁଁ କି ତୁମ୍ଭ ପାଇଁ ଚେଷ୍ଟା କରିବି ନାହିଁ? 2ତୁମ୍ଭେ ଯେଉଁ ବୋୟଜର ଦାସୀଗଣ ସଙ୍ଗରେ ଥିଲ, ସେ କି ଆମ୍ଭମାନଙ୍କ ଜ୍ଞାତି ନୁହେଁ? ଦେଖ, ସେ ଆଜି ରାତ୍ରି ନିଜ ଖଳାରେ ଯବ ଝାଡ଼ିବାକୁ ଉଦ୍ୟତ ଅଛି। 3ଏଣୁ ତୁମ୍ଭେ ଏବେ ସ୍ନାନ କର ଓ ତୈଳ ମର୍ଦ୍ଦନ କର ଓ ନିଜ (ଉତ୍ତମ) ବସ୍ତ୍ର ପରିଧାନ କରି ସେହି ଖଳାକୁ ଯାଅ; ମାତ୍ର ସେ ମନୁଷ୍ୟ ଭୋଜନପାନ ନ ସାରିବା ପର୍ଯ୍ୟନ୍ତ ତାହାକୁ ନିଜର ପରିଚୟ ଦିଅ ନାହିଁ। 4ସେ ଯେତେବେଳେ ଶୟନ କରିବ, ସେତେବେଳେ ତୁମ୍ଭେ ତାହାର ଶୟନ ସ୍ଥାନ ଦେଖି ନିର୍ଣ୍ଣୟ କର; ତହୁଁ ସେଠାକୁ ଯାଇ ତାହାର ଚରଣ ସମୀପସ୍ଥ ସ୍ଥାନ ଅନାବୃତ କରି ଶୟନ କର, ତହିଁରେ ତୁମ୍ଭକୁ କʼଣ କରିବାକୁ ହେବ, ତାହା ସେ ଜଣାଇବ।” 5ସେ ଉତ୍ତର କଲା, “ତୁମ୍ଭେ ଯାହା କହୁଅଛ, ସେସମସ୍ତ ମୁଁ କରିବି।” 6ଏଣୁ ସେ ସେହି ଖଳାକୁ ଯାଇ ନିଜ ଶାଶୁର ଆଦେଶାନୁସାରେ ସମସ୍ତ କର୍ମ କଲା। 7ପୁଣି ଭୋଜନପାନ ସାରି ବୋୟଜର ମନ ଆନନ୍ଦିତ ହୁଅନ୍ତେ, ସେ ଶସ୍ୟରାଶିର ଏକ ପ୍ରାନ୍ତଭାଗରେ ଶୟନ କରିବାକୁ ଗଲା, ତହିଁରେ ରୂତ ଧୀରେ ଧୀରେ ଯାଇ ତାହାର ଚରଣ ସମୀପସ୍ଥ ସ୍ଥାନ ଅନାବୃତ କରି ଶୟନ କଲା। 8ତହୁଁ ମଧ୍ୟରାତ୍ରି ସମୟରେ ସେ ପୁରୁଷ ଚମତ୍କୃତ ହୋଇ ଉଠି ଅନାଇଲା, ଆଉ ଦେଖ, ତାହାର ପାଦ ନିକଟରେ ଜଣେ ସ୍ତ୍ରୀ ଶୟନ କରିଅଛି। ତହିଁରେ ସେ ପଚାରିଲା, “ତୁମ୍ଭେ କିଏ?” 9ସେ ଉତ୍ତର କଲା, “ମୁଁ ଆପଣଙ୍କର ଦାସୀ ରୂତ; ଏଣୁ ନିଜ ଚାଦର ଆପଣଙ୍କ ଦାସୀ ଉପରେ ବିସ୍ତାର କରନ୍ତୁ, କାରଣ ଆପଣ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି।” 10ସେ କହିଲା, “ଆହେ ମୋହର କନ୍ୟା, ତୁମ୍ଭେ ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ରୀ ହୁଅ, ଯେହେତୁ ତୁମ୍ଭେ ଧନବାନ କି ଦରିଦ୍ର କୌଣସି ଯୁବାପୁରୁଷର ଅନୁଗାମିନୀ ନ ହୋଇ ପ୍ରଥମାପେକ୍ଷା ଶେଷରେ ଅଧିକ ସାଧୁତା ଦେଖାଇଅଛ। 11ଏଣୁ ଆହେ ମୋହର କନ୍ୟା, ଭୟ କର ନାହିଁ, ତୁମ୍ଭେ ଯାହା କହିଲ, ମୁଁ ତୁମ୍ଭ ପାଇଁ ସେସମସ୍ତ କରିବି; 12ଯେହେତୁ ତୁମ୍ଭେ ଯେ ସମ୍ମାନୀୟ ସ୍ତ୍ରୀ, ଏହା ମୋହର ନଗରସ୍ଥ ସମସ୍ତ ଲୋକ ଜାଣନ୍ତି। ମୁଁ ମୁକ୍ତିକର୍ତ୍ତା ଜ୍ଞାତି ଅଟେ, ଏହା ସତ୍ୟ, ମାତ୍ର ମୋʼ ଠାରୁ ନିକଟ ସମ୍ପର୍କୀୟ ଆଉ ଜଣେ ମୁକ୍ତିକର୍ତ୍ତା ଜ୍ଞାତି ଅଛି। 13ଏହି ରାତ୍ରି ଥାଅ; ସକାଳେ ସେ ଯେବେ ତୁମ୍ଭକୁ ମୁକ୍ତ କରେ, ତେବେ ଭଲ, ସେ ମୁକ୍ତ କରୁ; ମାତ୍ର ଯେବେ ସେ ତୁମ୍ଭକୁ ମୁକ୍ତ ନ କରେ, ତେବେ ଜୀବିତ ସଦାପ୍ରଭୁଙ୍କ ନାମରେ ସତ୍ୟ କହୁଅଛି ଯେ, ମୁଁ ତୁମ୍ଭକୁ ମୁକ୍ତ କରିବି; ତୁମ୍ଭେ ସକାଳ ପର୍ଯ୍ୟନ୍ତ ଶୟନ କର।” 14ତହିଁରେ ରୂତ ସକାଳ ଯାଏ ତାହାର ପାଦ ନିକଟରେ ଶୋଇ ରହିଲା, ପୁଣି କେହି କାହାକୁ ଚିହ୍ନି ପାରିବା ସମୟ ପୂର୍ବେ ସେ ଉଠିଲା କାରଣ ବୋୟଜ କହିଲା, “ଖଳାକୁ ଏ ସ୍ତ୍ରୀ ଯେ ଆସିଥିଲା, ଏହା ଜଣା ନ ଯାଉ।” 15ସେ ଆହୁରି କହିଲା, “ତୁମ୍ଭର ଆବରଣୀୟ ବସ୍ତ୍ର ବିଛାଇ ଧର,” ତହିଁରେ ରୂତ ତାହା ବିଛାଇ ଧରନ୍ତେ, ସେ ଛଅ ପାତ୍ର ଯବ ମାପି ତାହାର ମସ୍ତକରେ ଦେଇ ନଗରକୁ ଚାଲିଗଲା। 16ତହୁଁ ରୂତ ନିଜ ଶାଶୁ ନିକଟକୁ ଆସନ୍ତେ, ସେ କହିଲା, “ଆହେ ଆମ୍ଭର କନ୍ୟା, କଅଣ ହେଲା?” ତହିଁରେ ସେ ନିଜ ପ୍ରତି ସେହି ପୁରୁଷର କୃତ ସମସ୍ତ କର୍ମ ତାହାକୁ ଜଣାଇଲା। 17ପୁଣି ଆହୁରି କହିଲା, “ଶାଶୁ ନିକଟକୁ ମୁକ୍ତ ହସ୍ତରେ ନ ଯାଅ” ବୋଲି କହି ସେ ମୋତେ ଏହି ଛଅ ପାତ୍ର ଯବ ଦେଇଅଛନ୍ତି। 18ତହୁଁ ତାହାର ଶାଶୁ ତାହାକୁ କହିଲା, “ଆହେ ଆମ୍ଭର କନ୍ୟା, ଏ ବିଷୟ କʼଣ ହେବ, ଏହା ତୁମ୍ଭକୁ ଜଣା ହେବା ପର୍ଯ୍ୟନ୍ତ ବସିଥାଅ; କାରଣ ସେ ମନୁଷ୍ୟ ଆଜି ଏ କର୍ମ ସମାପ୍ତ ନ କରି ବିଶ୍ରାମ କରିବ ନାହିଁ।”
This chapter is not in this version.
Keep going
Indian Revised Version — Odia (2021). Indian Revised Version (Odia), Bridge Connectivity Solutions, CC BY-SA 4.0, via eBible.org. Inline cross-reference notes removed..