Indian Revised Version — Odia (2021)
ମାର୍କ 10
1ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କରି ଯିହୂଦିୟା ପ୍ରଦେଶର ସୀମା ଓ ଯର୍ଦ୍ଦନ ନଦୀର ଅପର ପାରିକୁ ଆସିଲେ; ଆଉ ଲୋକସମୂହ ପୁନର୍ବାର ତାହାଙ୍କ ନିକଟରେ ଏକତ୍ର ହୁଅନ୍ତେ ସେ ନିଜ ରୀତି ଅନୁସାରେ ସେମାନଙ୍କୁ ପୁଣି, ଶିକ୍ଷା ଦେବାକୁ ଲାଗିଲେ। 2ଇତିମଧ୍ୟରେ ଫାରୂଶୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଆପଣା ସ୍ତ୍ରୀକୁ ପରିତ୍ୟାଗ କରିବା କଅଣ ପୁରୁଷ ପକ୍ଷରେ ନ୍ୟାୟସଙ୍ଗତ? 3ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋଶା ତୁମ୍ଭମାନଙ୍କୁ କି ଆଜ୍ଞା ଦେଇଅଛନ୍ତି?” 4ସେମାନେ କହିଲେ, ତ୍ୟାଗପତ୍ର ଲେଖି ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ ମୋଶା ଅନୁମତି ଦେଇଅଛନ୍ତି। 5ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ସେ ତୁମ୍ଭମାନଙ୍କ ନିମନ୍ତେ ଏହି ଆଜ୍ଞା ଲେଖିଅଛନ୍ତି। 6କିନ୍ତୁ ସୃଷ୍ଟିର ଆରମ୍ଭରୁ ଈଶ୍ବର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ। 7ଏହି କାରଣରୁ ପୁରୁଷ ଆପଣା ପିତାମାତାଙ୍କଠାରୁ ଅଲଗା ହେବ, ଆଉ ସେମାନେ ଦୁହେଁ ଏକାଙ୍ଗ ହେବେ। 8ଏଣୁ ସେମାନେ ଆଉ ଦୁଇ ନୁହଁନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି। 9ଅତଏବ, ଈଶ୍ବର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ଭିନ୍ନ ନ କରୁ।” 10ପରେ ଶିଷ୍ୟମାନେ ଘରେ ଯୀଶୁଙ୍କୁ ଏ ବିଷୟ ପୁନର୍ବାର ପଚାରିବାକୁ ଲାଗିଲେ। 11ସେଥିରେ ସେ ସେମାନଙ୍କୁ କହିଲେ, “ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ତାହା ବିରୁଦ୍ଧରେ ବ୍ୟଭିଚାର କରେ; 12ଆଉ, ଯଦି ସ୍ତ୍ରୀ ଆପଣା ସ୍ୱାମୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ତେବେ ସେ ବ୍ୟଭିଚାର କରେ।” 13ଯୀଶୁ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି, ଏଥିପାଇଁ ଲୋକେ ଶିଶୁମାନଙ୍କୁ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ; ମାତ୍ର ଶିଷ୍ୟମାନେ ସେମାନଙ୍କୁ ଧମକ ଦେଲେ। 14ଯୀଶୁ ତାହା ଦେଖି ବିରକ୍ତ ହୋଇ ସେମାନଙ୍କୁ କହିଲେ, “ଶିଶୁମାନଙ୍କୁ ମୋʼ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ; କାରଣ ଈଶ୍ବରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର। 15ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ବରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ।” 16ପୁଣି, ଯୀଶୁ ଶିଶୁମାନଙ୍କୁ କୋଳରେ ଘେନି ଓ ସେମାନଙ୍କ ଉପରେ ହାତ ଥୋଇ ସେମାନଙ୍କୁ ଆଶୀର୍ବାଦ କଲେ। 17ସେ ପୁନର୍ବାର ଯାତ୍ରା ଆରମ୍ଭ କରିବା ସମୟରେ ଜଣେ ଦୌଡ଼ିଆସି ତାହାଙ୍କ ଛାମୁରେ ଆଣ୍ଠୁପାତି ତାହାଙ୍କୁ ପଚାରିଲେ, ହେ ସଦ୍ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି? 18ସେଥିରେ ଯୀଶୁ ତାହାଙ୍କୁ କହିଲେ, “ମୋତେ ଉତ୍ତମ ବୋଲି କାହିଁକି କହୁଅଛ? ଜଣଙ୍କ ବିନା, ଅର୍ଥାତ୍ ଈଶ୍ବରଙ୍କ ବିନା ଅନ୍ୟ କେହି ଉତ୍ତମ ନୁହେଁ। 19ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ‘ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପ୍ରବଞ୍ଚନା କର ନାହିଁ, ଆପଣା ପିତାମାତାଙ୍କୁ ସମାଦର କର।’” 20ସେ ତାହାଙ୍କୁ କହିଲେ, ହେ ଗୁରୁ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି। 21ଯୀଶୁ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କୁ ସ୍ନେହ କଲେ ଓ କହିଲେ, “ତୁମ୍ଭର ଗୋଟିଏ ବିଷୟ ଊଣା ଅଛି, ତୁମ୍ଭେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର।” 22କିନ୍ତୁ ଏହି କଥାରେ ତାହାଙ୍କ ମୁଖ ମଳିନ ହୋଇଗଲା ଓ ସେ ଦୁଃଖିତ ହୋଇ ଚାଲିଗଲେ, କାରଣ ତାହାଙ୍କର ବହୁତ ସମ୍ପତ୍ତି ଥିଲା। 23ସେଥିରେ ଯୀଶୁ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରି ଆପଣା ଶିଷ୍ୟମାନଙ୍କୁ କହିଲେ, “ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବେ!” 24ତାହାଙ୍କ କଥା ଶୁଣି ଶିଷ୍ୟମାନେ ବିସ୍ମୟାନ୍ୱିତ ହେଲେ। କିନ୍ତୁ ଯୀଶୁ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, “ବତ୍ସଗଣ, ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର! 25ଈଶ୍ବରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ଯିବାର ସହଜ।” 26ଏଥିରେ ସେମାନେ ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପରସ୍ପରକୁ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ? 27ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ଏହା ମନୁଷ୍ୟ ନିମନ୍ତେ ଅସାଧ୍ୟ, କିନ୍ତୁ ଈଶ୍ବରଙ୍କ ନିମନ୍ତେ ନୁହେଁ; କାରଣ ଈଶ୍ବରଙ୍କ ନିମନ୍ତେ ସମସ୍ତ ସାଧ୍ୟ।” 28ପିତର ତାହାଙ୍କୁ କହିବାକୁ ଲାଗିଲେ, ଦେଖନ୍ତୁ, ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ। 29ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ମୋହର ଓ ସୁସମାଚାର ନିମନ୍ତେ ଗୃହ କିମ୍ବା ଭାଇ କି ଭଉଣୀ କି ମାତା କି ପିତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରିଅଛି, 30ଆଉ ଏବେ ଇହକାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତ ଗୁଣରେ ଗୃହ, ଭାଇ, ଭଉଣୀ, ମାତା, ସନ୍ତାନସନ୍ତତି ଓ ଭୂମି, ପୁଣି, ପରକାଳରେ ଅନନ୍ତ ଜୀବନ ନ ପାଇବ, ଏପରି ଲୋକ କେହି ନାହିଁ। 31କିନ୍ତୁ ପ୍ରଥମରେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ।” 32ସେମାନେ ଯିରୂଶାଲମ ସହରକୁ ଯାତ୍ରା କରୁଥିବା ସମୟରେ ପଥ ମଧ୍ୟରେ ଥିଲେ ଓ ଯୀଶୁ ସେମାନଙ୍କ ଆଗେ ଆଗେ ଯାଉଥିଲେ, ଆଉ ଶିଷ୍ୟମାନେ ବିସ୍ମୟାନ୍ୱିତ ଓ ପଛରେ ଆସୁଥିବା ଲୋକେ ଭୀତ ହୋଇଥିଲେ। ଏଣୁ ସେ ପୁନର୍ବାର ବାର ଶିଷ୍ୟଙ୍କୁ ଅନ୍ତର କରି, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହିସବୁ ସେମାନଙ୍କୁ ଜଣାଇବାକୁ ଲାଗିଲେ। 33ଯୀଶୁ କହିଲେ, “ଦେଖ, ଆମ୍ଭେମାନେ ଯିରୂଶାଲମ ସହରକୁ ଯାତ୍ରା କରୁଅଛୁ; ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ, ଆଉ ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଦେଶ ଦେଇ ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ, 34ପୁଣି, ଶାସ୍ତ୍ରୀମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ଉପରେ ଛେପ ପକାଇବେ, ତାହାଙ୍କୁ କୋରଡ଼ା ମାରିବେ ଓ ବଧ କରିବେ, ଆଉ ତିନି ଦିନ ପରେ ସେ ପୁନରୁତ୍ଥିତ ହେବେ।” 35ପରେ ଜେବଦୀଙ୍କ ପୁତ୍ରମାନେ ଯାକୁବ ଓ ଯୋହନ ତାହାଙ୍କ ଛାମୁକୁ ଆସି କହିଲେ, ହେ ଗୁରୁ, ଆମ୍ଭମାନଙ୍କର ଇଚ୍ଛା ଯେ, ଆମ୍ଭେମାନେ ଆପଣଙ୍କଠାରୁ ଯାହା କିଛି ମାଗିବୁ, ତାହା ଆମ୍ଭମାନଙ୍କ ପାଇଁ ଆପଣ କରନ୍ତୁ। 36ତହୁଁ ସେ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ?” 37ସେମାନେ ତାହାଙ୍କୁ କହିଲେ, ଆପଣ ମହିମାପ୍ରାପ୍ତ ହେଲେ ଯେପରି ଆମ୍ଭମାନଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣକ ବାମ ପାର୍ଶ୍ୱରେ ବସିବ, ଆମ୍ଭମାନଙ୍କୁ ଏହି ବର ଦିଅନ୍ତୁ। 38କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଅଣ ମାଗୁଅଛ, ତାହା ଜାଣୁ ନାହଁ। ମୁଁ ଯେଉଁ ପାତ୍ରରେ ପାନ କରୁଅଛି, ସେଥିରେ କି ତୁମ୍ଭେମାନେ ପାନ କରିପାର? ଅବା ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି, ସେଥିରେ କି ତୁମ୍ଭେମାନେ ବାପ୍ତିଜିତ ହୋଇପାର?” 39ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ପାରୁ। ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁ ପାତ୍ରରେ ପାନ କରୁଅଛି, ତୁମ୍ଭେମାନେ ସେଥିରେ ପାନ କରିବ, ପୁଣି, ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି, ତୁମ୍ଭେମାନେ ସେଥିରେ ବାପ୍ତିଜିତ ହେବ; 40କିନ୍ତୁ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ।” 41ଅନ୍ୟ ଦଶ ଜଣ ଏହା ଶୁଣି ଯାକୁବ ଓ ଯୋହନଙ୍କ ଉପରେ ବିରକ୍ତ ହେବାକୁ ଲାଗିଲେ। 42ସେଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, “ଯେଉଁମାନେ ଅଣଯିହୁଦୀମାନଙ୍କର ଶାସନକର୍ତ୍ତା ରୂପେ ଗଣିତ, ସେମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ଅଣଯିହୁଦୀମାନଙ୍କର ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ। 43କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ; ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ, 44ପୁଣି, ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ସମସ୍ତଙ୍କର ଦାସ ହେଉ। 45କାରଣ ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି।” 46ପରେ ସେମାନେ ଯିରୀହୋରେ ଉପସ୍ଥିତ ହେଲେ, ଆଉ ସେ ଆପଣା ଶିଷ୍ୟସମୂହ ଓ ବହୁସଂଖ୍ୟକ ଲୋକ ସହିତ ଯିରୀହୋରୁ ପ୍ରସ୍ଥାନ କରିବା ସମୟରେ ଟୀମାୟର ପୁତ୍ର ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକ୍ଷୁକ ପଥ ପାର୍ଶ୍ୱରେ ବସିଥିଲା। 47ସେ ଯେ ନାଜରିତୀୟ ଯୀଶୁ, ଏହା ଶୁଣି ସେ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦଙ୍କ ସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ। 48ଏଥିରେ ଅନେକେ ତାହାକୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ। 49ସେଥିରେ ଯୀଶୁ ଠିଆ ହୋଇ କହିଲେ, “ତାହାକୁ ଡାକ।” ସେମାନେ ସେହି ଅନ୍ଧ ଲୋକଟିକୁ ଡାକି କହିଲେ, ସାହସ ଧର, ଉଠ, ସେ ତୁମକୁ ଡାକୁଅଛନ୍ତି। 50ତହିଁରେ ସେ ଆପଣା ଚାଦର ଫୋପାଡ଼ିଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା। 51ଯୀଶୁ ତାହାକୁ ଉତ୍ତର ଦେଲେ, “ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ?” ସେହି ଅନ୍ଧ ଲୋକଟି ତାହାଙ୍କୁ କହିଲା, ହେ ଗୁରୁ, ମୁଁ ଯେପରି ଦୃଷ୍ଟି ପାଏ। 52ଯୀଶୁ ତାହାକୁ କହିଲେ, “ଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।” ତତ୍କ୍ଷଣାତ୍ ସେ ଦୃଷ୍ଟି ପାଇ ପଥରେ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା।
This chapter is not in this version.
Keep going
In the life of Jesus 6 events in this chapter
- v1–12 173. Jesus teaches about marriage and divorce Also in Mt 19:1-12
- v13–16 174. Jesus blesses little children Also in Mt 19:13-15 · Lk 18:15-17
- v17–31 175. Jesus speaks to the rich young man Also in Mt 19:16-30 · Lk 18:18-30
- v32–34 177. Jesus predicts his death the third time Also in Mt 20:17-19 · Lk 18:31-34
- v35–45 178. Jesus teaches about serving others Also in Mt 20:20-28
- v46–52 179. Jesus heals a blind beggar Also in Mt 20:29-34 · Lk 18:35-43
Indian Revised Version — Odia (2021). Indian Revised Version (Odia), Bridge Connectivity Solutions, CC BY-SA 4.0, via eBible.org. Inline cross-reference notes removed..