Skip to content

Indian Revised Version — Odia (2021)

ଯାତ୍ରା ପୁସ୍ତକ 12

1ଏଥିଉତ୍ତାରେ ମିସର ଦେଶରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 2“ଏହି ମାସ ତୁମ୍ଭମାନଙ୍କର ପ୍ରଧାନ ମାସ ଓ ବର୍ଷର ପ୍ରଥମ ମାସ ହେବ। 3ତୁମ୍ଭେମାନେ ଇସ୍ରାଏଲୀୟ ସମଗ୍ର ମଣ୍ଡଳୀକୁ ଏହି କଥା କୁହ, ଏହି ମାସର ଦଶମ ଦିନରେ ତୁମ୍ଭମାନଙ୍କର ପ୍ରତ୍ୟେକ ମନୁଷ୍ୟ ପିତୃଗୃହାନୁସାରେ ପ୍ରତ୍ୟେକ ପରିବାର ନିମନ୍ତେ ଏକ ଏକ ମେଷଶାବକ ନେବ। 4ଆଉ, ଗୋଟିଏ ମେଷଶାବକ ନେବା ନିମନ୍ତେ ଯଦି କୌଣସି ପରିଜନ ଅଳ୍ପ ହେବ, ତେବେ ସେ ଓ ତାହାର ଗୃହ ନିକଟବର୍ତ୍ତୀ ପ୍ରତିବାସୀ, ପ୍ରାଣୀଗଣର ସଂଖ୍ୟାନୁସାରେ ଏକ ମେଷଶାବକ ନେବେ; ତୁମ୍ଭେମାନେ ପ୍ରତ୍ୟେକ ଜଣର ଭୋଜନ ଶକ୍ତି ଅନୁସାରେ ମେଷଶାବକର ଅଟକଳ କରିବ। 5ତୁମ୍ଭେମାନେ ମେଷପଲ ବା ଛାଗପଲ ମଧ୍ୟରୁ ଶାବକ ନେବ; ତାହା ନିର୍ଦ୍ଦୋଷ, ଏକ ବର୍ଷୀୟ ଓ ପୁଂଶାବକ ହେବ; 6ସେହି ମାସର ଚତୁର୍ଦ୍ଦଶ ଦିନ ଯାଏ ତାକୁ ବନ୍ଦ କରି ରଖିବ; ଏଥିଉତ୍ତାରେ ଇସ୍ରାଏଲ-ମଣ୍ଡଳୀର ସମସ୍ତ ସମାଜ ସନ୍ଧ୍ୟାକାଳରେ ସେହି ଶାବକକୁ ବଧ କରିବେ। 7ପୁଣି, ଲୋକମାନେ ତାହାର କିଛି ରକ୍ତ ନେଇ ଯେଉଁ ଯେଉଁ ଗୃହ ମଧ୍ୟରେ ମେଷ ଭୋଜନ କରିବେ, ସେହି ସେହି ଗୃହ ଦ୍ୱାରର ଦୁଇ ବାଜୁବନ୍ଧ ଓ କପାଳୀ ଉପରେ ତାହା ଲଗାଇବେ। 8ଆଉ ସେହି ରାତ୍ରିରେ ତାହାର ମାଂସ ଭୋଜନ କରିବେ; ଅଗ୍ନିରେ ଦଗ୍ଧ କରି ତାଡ଼ିଶୂନ୍ୟ ରୁଟି ଓ ପିତା ଶାକ ସହିତ ତାହା ଭୋଜନ କରିବେ। 9ତୁମ୍ଭେମାନେ ସେହି ମାଂସ ଅପକ୍ୱ କିମ୍ବା ଜଳରେ ସିଦ୍ଧ କରି ଭୋଜନ କରିବ ନାହିଁ, ମାତ୍ର ଅଗ୍ନିରେ ତାହାର ମୁଣ୍ଡ ଓ ଜଙ୍ଘ ଶରୀର ସମେତ ଦଗ୍ଧ କରି ଭୋଜନ କରିବ। 10ପୁଣି, ପ୍ରଭାତ ଯାଏ ତହିଁର କିଛି ରଖିବ ନାହିଁ; ଯଦି ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତାହା ଅଗ୍ନିରେ ଭସ୍ମସାତ୍‍ କରିବ। 11ଏହି ପ୍ରକାରେ ତୁମ୍ଭେମାନେ ତାହା ଚଞ୍ଚଳ ଭୋଜନ କରିବ, କାରଣ ତୁମ୍ଭେମାନେ କଟିବନ୍ଧନ କରି ପାଦରେ ପାଦୁକା ଦେଇ ହସ୍ତରେ ଯଷ୍ଟି ଘେନି ଯାତ୍ରା କରିବା ନିମନ୍ତେ ପ୍ରସ୍ତୁତ ହେବ; ଏହା ସଦାପ୍ରଭୁଙ୍କର ନିସ୍ତାର ପର୍ବ। 12ଯେହେତୁ ଆମ୍ଭେ ଆଜି ରାତ୍ରି ମିସର ଦେଶର ମଧ୍ୟଦେଇ ଯାଇ ମିସର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମଜାତକୁ ସଂହାର କରିବା; ପୁଣି, ମିସରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା; ଆମ୍ଭେ ସଦାପ୍ରଭୁ। 13ଏଣୁକରି ତୁମ୍ଭେମାନେ ଯେଉଁ ଯେଉଁ ଗୃହରେ ଥାଅ, ସେହି ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ୱରୂପେ ରହିବ; ଆଉ ଆମ୍ଭେ ମିସର ଦେଶକୁ ଦଣ୍ଡ ଦେବା ସମୟରେ ସେହି ରକ୍ତ ଦେଖିଲେ, ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା, ପୁଣି, ସଂହାରକ ଆଘାତ ତୁମ୍ଭମାନଙ୍କ ପ୍ରତି ଘଟିବ ନାହିଁ। 14ଆଉ ସେହି ଦିନ ତୁମ୍ଭମାନଙ୍କର ସ୍ମରଣୀୟ ହେବ, ପୁଣି, ତୁମ୍ଭେମାନେ ସେହି ଦିନକୁ ସଦାପ୍ରଭୁଙ୍କ ପର୍ବ ରୂପେ ପାଳନ କରିବ; ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧିମତେ ଏହି ପର୍ବ ପାଳନ କରିବ। 15ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଖାଇବ; ବିଶେଷତଃ ପ୍ରଥମ ଦିନ ଆପଣା ଆପଣା ଗୃହରୁ ତାଡ଼ି ଦୂର କରିବ, କାରଣ ଯେଉଁ ଜନ ପ୍ରଥମ ଦିନଠାରୁ ସପ୍ତମ ଦିନ ପର୍ଯ୍ୟନ୍ତ ତାଡ଼ି ମିଶ୍ରିତ ରୁଟି ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ। 16ଆଉ ପ୍ରଥମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ, ପୁଣି, ସପ୍ତମ ଦିନରେ ମଧ୍ୟ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ଆଉ ସେହି ଦୁଇ ଦିନରେ ପ୍ରତ୍ୟେକ ପ୍ରାଣୀର ଖାଦ୍ୟର ଆୟୋଜନ ବିନୁ ଆଉ କୌଣସି କର୍ମ କରାଯିବ ନାହିଁ, କେବଳ ସେହି କର୍ମ ତୁମ୍ଭେମାନେ କରି ପାରିବ। 17ଏହି ପ୍ରକାରେ ତୁମ୍ଭେମାନେ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କରିବ, କାରଣ ସେହି ଦିନରେ ହିଁ ଆମ୍ଭେ ତୁମ୍ଭମାନଙ୍କର ସୈନ୍ୟମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା; ଏଣୁ ତୁମ୍ଭେମାନେ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧିମତେ ଏହି ଦିନ ପାଳନ କରିବ। 18ତୁମ୍ଭେମାନେ ପ୍ରଥମ ମାସର ଚଉଦ ଦିନର ସନ୍ଧ୍ୟା ସମୟରୁ ଏକୋଇଶ ଦିନର ସନ୍ଧ୍ୟା ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ। 19ସପ୍ତାହ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗୃହରେ ଲେଶମାତ୍ର ତାଡ଼ି ନ ରହୁ, କାରଣ ବିଦେଶୀ ଅବା ସ୍ୱଦେଶୀ ଯେଉଁ ଜନ ଏଥିମଧ୍ୟରେ ତାଡ଼ି ମିଶ୍ରିତ ଦ୍ରବ୍ୟ ଖାଇବ, ସେ ପ୍ରାଣୀ ଇସ୍ରାଏଲ-ମଣ୍ଡଳୀରୁ ଉଚ୍ଛିନ୍ନ ହେବ। 20ତୁମ୍ଭେମାନେ ତାଡ଼ି ମିଶ୍ରିତ କୌଣସି ଦ୍ରବ୍ୟ ଖାଇବ ନାହିଁ, ତୁମ୍ଭେମାନେ ଆପଣା ଆପଣା ସମସ୍ତ ବାସ ସ୍ଥାନରେ ତାଡ଼ିଶୂନ୍ୟ ରୁଟି ଖାଇବ।” 21ସେତେବେଳେ ମୋଶା ଇସ୍ରାଏଲର ସମସ୍ତ ପ୍ରାଚୀନ ଲୋକଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଆପଣା ଆପଣା ପରିଜନାନୁସାରେ ଏକ ଏକ ମେଷଶାବକ ବାହାର କରି ନେଇ ନିସ୍ତାରପର୍ବୀୟ ବଳି ବଧ କର। 22ପୁଣି, ବିଡ଼ାଏ ଏସୋବ ଘେନି ପାତ୍ରସ୍ଥିତ ରକ୍ତରେ ବୁଡ଼ାଇ ଦ୍ୱାରର କପାଳୀ ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ; ପୁଣି, ପ୍ରଭାତ ପର୍ଯ୍ୟନ୍ତ ତୁମ୍ଭମାନଙ୍କର କେହି ଗୃହ ଦ୍ୱାରରେ ବାହାରକୁ ନ ଯାଉ। 23ଯେହେତୁ ସଦାପ୍ରଭୁ ମିସରୀୟମାନଙ୍କୁ ଆଘାତ କରିବାକୁ ସେମାନଙ୍କ ମଧ୍ୟଦେଇ ଯିବେ; ତହିଁରେ ଦ୍ୱାରର କପାଳୀ ଓ ଦୁଇ ବାଜୁବନ୍ଧ ଉପରେ ସେହି ରକ୍ତ ଦେଖିଲେ, ସଦାପ୍ରଭୁ ସେହି ଦ୍ୱାର ଛାଡ଼ି ଆଗକୁ ଯିବେ, ତୁମ୍ଭମାନଙ୍କ ଗୃହରେ ସଂହାରକକୁ ପ୍ରବେଶ କରି ଆଘାତ କରିବାକୁ ଦେବେ ନାହିଁ। 24ପୁଣି, ତୁମ୍ଭେମାନେ ଓ ଯୁଗାନୁକ୍ରମେ ତୁମ୍ଭମାନଙ୍କ ସନ୍ତାନମାନେ ବିଧିମତେ ଏହି ରୀତି ପାଳନ କରିବ। 25ଆଉ ସଦାପ୍ରଭୁ ଆପଣା ପ୍ରତିଜ୍ଞାନୁସାରେ; ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ସେଠାରେ ପ୍ରବେଶ କଲେ, ଏହି ସେବା ସାଧନ କରିବ। 26ପୁଣି, ତୁମ୍ଭମାନଙ୍କ ‘ଏହି ସେବାର ଅଭିପ୍ରାୟ କଅଣ?’ 27ଏହା ତୁମ୍ଭମାନଙ୍କ ସନ୍ତାନମାନେ ପଚାରିଲେ, ‘ତୁମ୍ଭେମାନେ କହିବ, ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବୀୟ ବଳିଦାନ; କାରଣ ମିସରୀୟମାନଙ୍କୁ ଆଘାତ କରିବା ବେଳେ ସେ ମିସରରେ ପ୍ରବାସୀ ଇସ୍ରାଏଲୀୟ ସନ୍ତାନଗଣର ଗୃହସବୁ ଛାଡ଼ି ଆଗକୁ ଯାଇ ଆମ୍ଭମାନଙ୍କ ଗୃହ ରକ୍ଷା କରିଥିଲେ।’” ସେତେବେଳେ ଲୋକମାନେ ମସ୍ତକ ନତ କରି ପ୍ରଣାମ କଲେ। 28ତହୁଁ ଇସ୍ରାଏଲୀୟ ସନ୍ତାନମାନେ ଯାଇ ସେପରି କଲେ; ଆଉ ସେମାନେ ମୋଶା ଓ ହାରୋଣଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ। 29ଏଥିଉତ୍ତାରେ ଅର୍ଦ୍ଧ ରାତ୍ର ସମୟରେ ସଦାପ୍ରଭୁ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତ ସନ୍ତାନଠାରୁ କାରାକୂପସ୍ଥ ବନ୍ଦୀର ପ୍ରଥମଜାତ ସନ୍ତାନ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ଓ ପଶୁମାନଙ୍କ ପ୍ରଥମଜାତ ଶାବକଗଣକୁ ଆଘାତ କଲେ। 30ତହିଁରେ ଫାରୋ ଓ ତାଙ୍କର ଦାସଗଣ ଓ ମିସରୀୟ ଲୋକ ସମସ୍ତେ ରାତ୍ରିରେ ଉଠିଲେ; ପୁଣି, ମିସର ଦେଶରେ ମହାରୋଦନ ହେଲା; କାରଣ ଏପରି ଗୃହ ନ ଥିଲା ଯେଉଁ ଗୃହରେ କେହି ମରି ନ ଥିଲେ। 31ତହୁଁ ରାତ୍ରିକାଳରେ ଫାରୋ, ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଓ ଇସ୍ରାଏଲ ବଂଶ ଉଠି ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର ହୁଅ, ତୁମ୍ଭମାନଙ୍କ ବାକ୍ୟାନୁସାରେ ସଦାପ୍ରଭୁଙ୍କର ସେବା କରିବା ପାଇଁ ଯାତ୍ରା କର। 32ତୁମ୍ଭମାନଙ୍କ ବାକ୍ୟାନୁସାରେ ଗୋମେଷାଦି ପଲ ସମସ୍ତଙ୍କୁ ନେଇ ଚାଲିଯାଅ ଓ ଆମ୍ଭକୁ ମଧ୍ୟ ଆଶୀର୍ବାଦ କର।” 33ସେତେବେଳେ ମିସରୀୟମାନେ ଲୋକମାନଙ୍କୁ ଶୀଘ୍ର ଦେଶରୁ ପଠାଇଦେବା ନିମନ୍ତେ ବ୍ୟଗ୍ର ହେଲେ; କାରଣ ସେମାନେ କହିଲେ, “ଆମ୍ଭେ ସମସ୍ତେ ମୃତକଳ୍ପ।” 34ତହିଁରେ ଚକଟା ମଇଦା ତାଡ଼ି ମିଶ୍ରିତ ହେବା ପୂର୍ବେ, ଲୋକମାନେ ତାହା ନେଇ ମଇଦା ଦଳିବା ପାତ୍ରସବୁ ଆପଣା ଆପଣା ବସ୍ତ୍ରରେ ବାନ୍ଧି ସ୍କନ୍ଧରେ ଘେନିଲେ। 35ପୁଣି, ଇସ୍ରାଏଲ-ସନ୍ତାନଗଣ ମୋଶାଙ୍କର ବାକ୍ୟାନୁସାରେ ମିସରୀୟମାନଙ୍କୁ ରୌପ୍ୟ-ଅଳଙ୍କାର, ସୁବର୍ଣ୍ଣ-ଅଳଙ୍କାର ଓ ବସ୍ତ୍ର ମାଗିଲେ। 36ତହିଁରେ ସଦାପ୍ରଭୁ ମିସରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହପାତ୍ର କରିବାରୁ ସେମାନେ ସେମାନଙ୍କୁ ଯାହା ମାଗିଲେ, ସେମାନେ ତାହା ଦେଲେ। ଏହି ପ୍ରକାରେ, ସେମାନେ ମିସରୀୟମାନଙ୍କ ଧନ ହରଣ କଲେ। 37ଏଥିଉତ୍ତାରେ ଇସ୍ରାଏଲ ସନ୍ତାନମାନେ ବାଳକ ବ୍ୟତୀତ ପ୍ରାୟ ଛଅ ଲକ୍ଷ ପୁରୁଷ ପାଦଗତିରେ ରାମିଷେଷ୍‍ଠାରୁ ସୁକ୍କୋତକୁ ଯାତ୍ରା କଲେ। 38ପୁଣି, ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ଗୋମେଷାଦି ଅନେକ ଅନେକ ପଶୁ ସେମାନଙ୍କ ସହିତ ପ୍ରସ୍ଥାନ କଲେ। 39ଏଥିଉତ୍ତାରେ ସେମାନେ ମିସରଠାରୁ ଆନୀତ ଚକଟା ମଇଦାରେ ତାଡ଼ିଶୂନ୍ୟ ରୁଟି ପ୍ରସ୍ତୁତ କଲେ; କାରଣ ତାହା ତାଡ଼ି ମିଶ୍ରିତ ହୋଇ ନ ଥିଲା; ଯେହେତୁ ସେମାନେ ମିସରରୁ ତାଡ଼ିତ ହୋଇଥିଲେ, ଏଥିପାଇଁ ବିଳମ୍ବ କରି ନ ପାରିବାରୁ ଆପଣା ଆପଣା ନିମନ୍ତେ କିଛି ଖାଦ୍ୟ ପ୍ରସ୍ତୁତ କରିପାରି ନ ଥିଲେ। 40ଇସ୍ରାଏଲ ବଂଶ ଚାରି ଶହ ତିରିଶ ବର୍ଷ ପର୍ଯ୍ୟନ୍ତ ମିସର ଦେଶରେ ପ୍ରବାସ କରିଥିଲେ। 41ସେହି ଚାରି ଶହ ତିରିଶ ବର୍ଷ ଶେଷରେ, ସେହି ଦିନରେ ସଦାପ୍ରଭୁଙ୍କ ସୈନ୍ୟସମୂହ ମିସରରୁ ବାହାର ହେଲେ। 42ମିସର ଦେଶରୁ ସେମାନେ ବାହାର ହେବା ସକାଶୁ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ପାଳନୀୟ ରାତ୍ରି; ତାହା ସଦାପ୍ରଭୁଙ୍କ ରାତ୍ରି ବୋଲି ଇସ୍ରାଏଲ ସନ୍ତାନମାନଙ୍କର ପୁରୁଷାନୁକ୍ରମେ ବିଶେଷ ପାଳନୀୟ ଅଟଇ। 43ଆଉ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ନିସ୍ତାର ପର୍ବର ଏହି ବିଧି; କୌଣସି ବିଦେଶୀୟ ଲୋକ ତାହା ଭୋଜନ କରିବ ନାହିଁ। 44ମାତ୍ର ରୌପ୍ୟ ଦ୍ୱାରା କ୍ରୀତ ପ୍ରତ୍ୟେକ ଲୋକର ଦାସ ସୁନ୍ନତ ହେଲେ ଖାଇ ପାରିବ; 45କୌଣସି ପ୍ରବାସୀ ବା ବେତନଜୀବୀ ଦାସ ତାହା ଖାଇ ପାରିବ ନାହିଁ। 46ଏକ ଗୃହ ମଧ୍ୟରେ ତାହା ଭୋଜନ କରାଯିବ; ତୁମ୍ଭେ ସେହି ମାଂସର କିଛିମାତ୍ର ଗୃହ ବାହାରକୁ ନେଇଯିବ ନାହିଁ; କିଅବା ତାହାର ଗୋଟିଏ ଅସ୍ଥି ହିଁ ଭାଙ୍ଗିବ ନାହିଁ। 47ଇସ୍ରାଏଲର ସମଗ୍ର ମଣ୍ଡଳୀ ତାହା ପାଳନ କରିବେ। 48ପୁଣି, ତୁମ୍ଭ ସଙ୍ଗରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯଦି ସଦାପ୍ରଭୁଙ୍କର ନିସ୍ତାର ପର୍ବ ପାଳନ କରିବାକୁ ଚାହେଁ, ତେବେ ତାହାର ପରିବାରର ସମସ୍ତ ପୁରୁଷ ସୁନ୍ନତ ହେଉନ୍ତୁ, ତହିଁ ଉତ୍ତାରେ ସେ ନିକଟକୁ ଆସି ପର୍ବ ପାଳନ କରୁ; ତହିଁରେ ସେ ଦେଶଜାତ ଲୋକ ତୁଲ୍ୟ ହେବ; ମାତ୍ର କୌଣସି ଅସୁନ୍ନତ ଲୋକ ତାହା ଭୋଜନ କରିବ ନାହିଁ। 49ଆଉ ଦେଶଜାତ ଲୋକ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ଲୋକ ପ୍ରତି ଗୋଟିଏ ବିଧି ହେବ।” 50ତହିଁରେ ଇସ୍ରାଏଲର ସମସ୍ତ ସନ୍ତାନ ଏହି ପ୍ରକାର କଲେ; ମୋଶା ଓ ହାରୋଣଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଯେପରି ଥିଲା, ସେହିପରି ସେମାନେ କଲେ। 51ଏହି ପ୍ରକାରେ ସଦାପ୍ରଭୁ ସେହି ଦିନ ସୈନ୍ୟଶ୍ରେଣୀବଦ୍ଧ ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣିଲେ।

Keep going

Indian Revised Version — Odia (2021). Indian Revised Version (Odia), Bridge Connectivity Solutions, CC BY-SA 4.0, via eBible.org. Inline cross-reference notes removed..

Books

✦ Explain this verse with AI AI explanations, Bible Q&A, characters, maps and more — in the Truth of Bible app →

Reading settings

Theme
Text size
100%
Layout

Loading the Bibles…

Your choice is remembered on this device and used for reading, search and the verse screen.