Skip to content

Indian Revised Version — Odia (2021)

ଦ୍ୱିତୀୟ ରାଜାବଳୀ 1

1ଏଥିଉତ୍ତାରେ ଆହାବଙ୍କର ମୃତ୍ୟୁୁ ଉତ୍ତାରେ ମୋୟାବ ଦେଶ ଇସ୍ରାଏଲ ବିରୁଦ୍ଧରେ ବିଦ୍ରୋହ ଆଚରଣ କଲେ। 2ପୁଣି ଅହସୀୟ ଶମରୀୟାସ୍ଥ ଆପଣା ଉପରିସ୍ଥ କୋଠରିର ଝରକା ଦେଇ ପଡ଼ି ପୀଡ଼ିତ ହେଲେ; ଆଉ ସେ ଦୂତଗଣ ପଠାଇ ସେମାନଙ୍କୁ କହିଲେ, “ଯାଅ, ଏହି ପୀଡ଼ାରୁ ମୁଁ ସୁସ୍ଥ ହେବି କି ନାହିଁ, ଏହା ଇକ୍ରୋଣର ଦେବତା ବାଲ୍‍ସବୂବକୁ ପଚାର।” 3ମାତ୍ର ସଦାପ୍ରଭୁଙ୍କ ଦୂତ ତିଶ୍‍ବୀୟ ଏଲୀୟଙ୍କୁ କହିଲେ, “ଉଠ, ଶମରୀୟା ରାଜାଙ୍କର ଦୂତଗଣକୁ ସାକ୍ଷାତ କରିବାକୁ ଯାଅ ଓ ସେମାନଙ୍କୁ କୁହ, ‘ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେମାନେ ଇକ୍ରୋଣର ଦେବତା ବାଲ୍‍ସବୂବକୁ ପଚାରିବାକୁ ଯାଉଅଛ?’ 4ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ।’” ଏଉତ୍ତାରେ ଏଲୀୟ ପ୍ରସ୍ଥାନ କଲେ। 5ତହୁଁ ଦୂତମାନେ ଅହସୀୟଙ୍କର ନିକଟକୁ ଫେରି ଆସନ୍ତେ, ସେ ସେମାନଙ୍କୁ ପଚାରିଲେ, “ତୁମ୍ଭେମାନେ କାହିଁକି ଫେରି ଆସିଲ?” 6ଏଥିରେ ସେମାନେ ତାଙ୍କୁ କହିଲେ, “ଜଣେ ଲୋକ ଆମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି କହିଲା, ‘ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରିଯାଇ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍‍ସବୂବ ନିକଟକୁ ପଚାରି ପଠାଉଅଛ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ।’” 7ତହିଁରେ ଅହସୀୟ ସେମାନଙ୍କୁ ପଚାରିଲେ, “ଯେ ତୁମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି ଏହିସବୁ କଥା କହିଲା, ସେ କି ପ୍ରକାର ଲୋକ?” 8ତହୁଁ ସେମାନେ ତାଙ୍କୁ ଉତ୍ତର କଲେ, “ସେ ଲୋମଶ ମନୁଷ୍ୟ ଓ ତାହାର କଟି ଚର୍ମପଟୁକାରେ ବନ୍ଧା ଥିଲା।” ତହିଁରେ ରାଜା କହିଲେ, “ସେ ତ ତିଶ୍‍ବୀୟ ଏଲୀୟ।” 9ତେବେ ରାଜା ଏଲୀୟଙ୍କ ନିକଟକୁ ଜଣେ ପଚାଶପତିଙ୍କୁ ତାହାର ପଚାଶ ଲୋକ ସହିତ ପଠାଇଲେ। ତହୁଁ ପଚାଶପତି ଏଲୀୟଙ୍କ ନିକଟକୁ ଗଲା; ଆଉ ଦେଖ, ଏଲୀୟ ପର୍ବତ ଶୃଙ୍ଗରେ ବସିଥିଲେ। ଏଥିରେ ପଚାଶପତି ତାଙ୍କୁ କହିଲା, “ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି, ‘ତଳକୁ ଆସ।’” 10ତହୁଁ ଏଲୀୟ ସେହି ପଚାଶପତିଙ୍କୁ ଉତ୍ତର କରି କହିଲେ, “ଯେବେ ମୁଁ ପରମେଶ୍ୱରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭ ପଚାଶ ଲୋକଙ୍କୁ ଗ୍ରାସ କରୁ।” ଏଥିରେ ଆକାଶରୁ ଅଗ୍ନି ଆସି ତାହାକୁ ଓ ତାହାର ପଚାଶ ଲୋକଙ୍କୁ ଗ୍ରାସ କଲା। 11ଏଉତ୍ତାରେ ରାଜା ପୁନର୍ବାର ଏଲୀୟଙ୍କ ନିକଟକୁ ଆଉ ଏକ ପଚାଶପତିଙ୍କୁ ତାହାର ପଚାଶ ଲୋକ ସହିତ ପଠାଇଲେ। ତହୁଁ ଏହି ପଚାଶପତି ମଧ୍ୟ ଏଲୀୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି, ‘ଶୀଘ୍ର ତଳକୁ ଆସ।’” 12ଏଥିରେ ଏଲୀୟ ସେମାନଙ୍କୁ ଉତ୍ତର କରି କହିଲେ, “ଯେବେ ମୁଁ ପରମେଶ୍ୱରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭ ପଚାଶ ଲୋକଙ୍କୁ ଗ୍ରାସ କରୁ।” ତହୁଁ ପରମେଶ୍ୱରଙ୍କ ଅଗ୍ନି ଆକାଶରୁ ଆସି ତାହାକୁ ଓ ତାହାର ପଚାଶ ଲୋକଙ୍କୁ ଗ୍ରାସ କଲା। 13ଏଥିରେ ରାଜା ପୁନର୍ବାର ତୃତୀୟ ପଚାଶପତିଙ୍କୁ ତାହାର ପଚାଶ ଲୋକ ସହିତ ପଠାଇଲେ। ପୁଣି ସେହି ତୃତୀୟ ପଚାଶପତି ଉପରକୁ ଗଲା ଓ ଏଲୀୟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଆପଣା ଆଣ୍ଠୁପାତି ବିନୟ କରି ତାଙ୍କୁ କହିଲା, “ହେ ପରମେଶ୍ୱରଙ୍କ ଲୋକ, ମୁଁ ବିନୟ କରୁଅଛି, ଆପଣଙ୍କ ଦୃଷ୍ଟିରେ ମୋʼ ପ୍ରାଣ ଓ ଆପଣଙ୍କ ଦାସ ଏହି ପଚାଶ ଲୋକଙ୍କର ପ୍ରାଣ ବହୁମୂଲ୍ୟ ହେଉ। 14ଦେଖନ୍ତୁ, ଆକାଶରୁ ଅଗ୍ନି ଆସି ପୂର୍ବ ଦୁଇ ପଚାଶପତିଙ୍କୁ ଓ ସେମାନଙ୍କ ପଚାଶ ପଚାଶ ଲୋକଙ୍କୁ ଗ୍ରାସ କଲା; ମାତ୍ର ଏବେ ଆପଣଙ୍କ ଦୃଷ୍ଟିରେ ମୋʼ ପ୍ରାଣ ବହୁମୂଲ୍ୟ ହେଉ।” 15ଏଥିରେ ସଦାପ୍ରଭୁଙ୍କ ଦୂତ ଏଲୀୟଙ୍କୁ କହିଲେ, “ତାହା ସଙ୍ଗରେ ତଳକୁ ଯାଅ; ତାହାକୁ ଭୟ କର ନାହିଁ।” ତହୁଁ ଏଲୀୟ ଉଠି ପଚାଶପତି ସଙ୍ଗରେ ତଳକୁ ଯାଇ ରାଜାଙ୍କ ନିକଟକୁ ଗଲେ। 16ପୁଣି ସେ ରାଜାଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘କଥା ପଚାରିବା ପାଇଁ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍‍ସବୂବକୁ ପଚାରିବା ପାଇଁ ଦୂତମାନଙ୍କୁ ପଠାଇଲ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହଁ, ମାତ୍ର ନିଶ୍ଚୟ ମରିବ।’” 17ଏଥିଉତ୍ତାରେ ଏଲୀୟଙ୍କ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେ ମଲେ। ପୁଣି ତାଙ୍କର ପୁତ୍ର ନ ଥିବାରୁ ଯିହୁଦାର ରାଜା ଯିହୋଶାଫଟ୍‍ଙ୍କର ପୁତ୍ର ଯିହୋରାମ୍‍ଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷରେ ଯିହୋରାମ୍‍ ତାଙ୍କର ପଦରେ ରାଜ୍ୟ କରିବାକୁ ଆରମ୍ଭ କଲେ। 18ଏହି ଅହସୀୟଙ୍କର କ୍ରିୟାର ଅବଶିଷ୍ଟ ବୃତ୍ତାନ୍ତ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?

Keep going

Indian Revised Version — Odia (2021). Indian Revised Version (Odia), Bridge Connectivity Solutions, CC BY-SA 4.0, via eBible.org. Inline cross-reference notes removed..

Books

✦ Explain this verse with AI AI explanations, Bible Q&A, characters, maps and more — in the Truth of Bible app →

Reading settings

Theme
Text size
100%
Layout

Loading the Bibles…

Your choice is remembered on this device and used for reading, search and the verse screen.